ବିଦ୍ୟୁତ୍ ସଂଯୋଗରୁ ମିଟରକୁ ହଟାଇବା ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ
ବୁର୍ଲା, 26.09.2024: ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ସମାଜର ପ୍ରତ୍ୟେକ ବର୍ଗକୁ ସ୍ଥିର, ବିଶ୍ୱସନୀୟ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ସର୍ବୋତ୍ତମ ପ୍ରୟାସ ଜାରି ରହିଛି । ମାତ୍ର ବରଗଡ଼ ଜିଲ୍ଲାର ବରପାଲି ଅଞ୍ଚଳର କିଛି ଗ୍ରାହକ ପୁଣିଥରେ ସେମାନଙ୍କ ଗୃହ ପରିସରରେ ସ୍ଥାପନ ହୋଇଥିବା ବିଦ୍ୟୁତ୍ ମିଟରକୁ ହଟାଇବା ଏବଂ ପରେ ଏହାକୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଫିଙ୍ଗି ଦେଇଥିବା ଘଟଣା, ଆମ ନଜର ପରିସର ଭୁକ୍ତ ହୋଇଅଛି ।
ଏଠାରେ ଟିପିଡବ୍ଲ୍ୟୁଓଡିଏଲ୍ ପୁନର୍ବାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଚାହୁଁଅଛି ଯେ, ବିଦ୍ୟୁତ ବିତରଣ, ରକ୍ଷଣାବେକ୍ଷଣ, ମିଟର ସ୍ଥାପନ, ବିଲିଂ, ବିଲିଂ ଶୁଳ୍କ ଇତ୍ୟାଦି ମାନ୍ୟବର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ ଖୋଲାଖୋଲି ଆଲୋଚନା ମାଧ୍ୟମରେ ପ୍ରତିବର୍ଷ ମାନ୍ୟବର ଆୟୋଗଙ୍କ ଦ୍ୱାରା ଏହି ଶୁଳ୍କ ଘୋଷଣା କରାଯାଇଥାଏ । ବିଦ୍ୟୁତ୍ ବିତରଣ ପାଇଁ ଲାଇସେନ୍ସଧାରୀ କମ୍ପାନୀ ଭାବେ ଆମେ ମାନ୍ୟବର ଆୟୋଗଙ୍କ ଦ୍ୱାରା ଦିଆଯାଇଥିବା ନିଷ୍ପତ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରୁଅଛୁ ।
ଜଣେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଏକ ପଞ୍ଜୀକୃତ ଉପଭୋକ୍ତା ଭାବରେ ସେତେବେଳେ ବିବେଚନା କରାଯାଏ, ଯେତେବେଳେ ସେହି ବ୍ୟକ୍ତିଙ୍କ ଗୃହ ପରିସରରେ ବିଦ୍ୟୁତ୍ ମିଟର ସହିତ ବିଦ୍ୟୁତ୍ ସଂଯୋଗ କରାଯାଇଥାଏ । ତେଣୁ ବିଦ୍ୟୁତ୍ ସଂଯୋଗରୁ ବିଦ୍ୟୁତ୍ ମିଟରକୁ ହଟାଇବା ସମ୍ପୂର୍ଣ୍ଣ ରୂପେ ବେଆଇନ ଏବଂ ବିଦ୍ୟୁତ୍ ଅଧିନିୟମ 2003ର ଧାରା 135, 138 ଏବଂ 139 ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ ଅଟେ । ବିଦ୍ୟୁତ୍ ଗ୍ରାହକ ଏବଂ ଜନସାଧାରଣଙ୍କ ଅବଗତି ନିମନ୍ତେ ଆମେ ଗତ କିଛି ମାସ ମଧ୍ୟରେ ଅନେକଥର ଏହି ସୂଚନା ପ୍ରଦାନ କରିଅଛୁ ।
ଉଲ୍ଲେଖଥାଉ କି, ବରଗଡ଼ ଜିଲ୍ଲାର ବରପାଲି ଅଞ୍ଚଳରେ ଘଟିଥିବା ଘଟଣା ସମ୍ବନ୍ଧରେ କମ୍ପାନୀ ପକ୍ଷରୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ଜିଲ୍ଲା ପ୍ରଶାସନ ପାଖରେ ଅନୁରୋଧ କରିଅଛୁ । ପୁନଃହ ଆମେ ବିଦ୍ୟୁତ୍ ଗ୍ରାହକ ତଥା ଜନସାଧାରଣଙ୍କ ସ୍ୱାର୍ଥ ନିମନ୍ତେ ପ୍ରକାଶ କରୁଅଛୁ ଯେ, ସ୍ମାର୍ଟ ମିଟର ଶତ ପ୍ରତିଶତ ସଠିକ୍, ବିଶ୍ୱସନୀୟ ଏବଂ ଉପଭୋକ୍ତାଙ୍କୁ ପ୍ରଦାନ କରାଯାଉଥିବା ଉପକରଣ ସହିତ କୌଣସି ସମସ୍ୟା ନାହିଁ । ତେଣୁ ଆମେ ସର୍ବଦା ଗ୍ରାହକମାନଙ୍କୁ ଅନୁରୋଧ କରିଆସୁଅଛୁ, ଜୀବନ୍ତ ବିଦ୍ୟୁତ୍ ତାରରେ ଅନୈତିକ ସଂଯୋଗ କରିବା ଜୀବନ ପ୍ରତି ବିଦପଜ୍ଜନକ ହେବା ସହିତ ଧନଜୀବନ ହାନୀ ଭଳି ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହୋଇଥାଏ । ଏହି ଭଳି ଦୁର୍ଭାଗ୍ୟଜନକ ପରିସ୍ଥିତିରେ ଯଦି କୌଣସି ଦୁର୍ଘଟଣା ଘଟେ, ତେବେ କମ୍ପାନୀ କତ୍ତୃପକ୍ଷ ଦାୟୀ ରହିବେ ନାହିଁ ।
Tags
BARGARH NEWS