ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ
~~~~~~~~~~~~~~~~~~
ବରଗଡ଼/ବିଜେପୁର:- ଆଜି ତା: ୨୫.୦୯.୨୦୨୪ ବୁଧବାର ଦିନ ବ୍ଲକ ସ୍ତରୀୟ ଆ.ର.ବି.ଏସ.କେ (ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ )ଅଧୀନରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ପରାମର୍ଶ ଓ ଚିକିତ୍ସା ଶିବିର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ସ୍ଥିତ ସଭା ଗୃହ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଅଛି ।
ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ସୁଶାନ୍ତ ମେହେର କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରି ଶିବିରର ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ସୁଦାମ ଚରଣ ପାଣିଗ୍ରାହୀ,ବି.ପି.ଓ ବିଜୟ କୁମାର ସରାପ,ସ୍ଥାନୀୟ ଆୟୁର୍ବେଦ ଚିକିତ୍ସାଳୟର ଡା.ସୁଦିପ୍ତ ପଧାନ ଯୋଗଦାନ କରିଥିଲେ। ଏପରିପ୍ରେକ୍ଷୀରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ମାଗଣା ସ୍ବାସ୍ଥ୍ୟ ଶିବିରର ଉଦ୍ଦେଶ୍ୟ ଏବଂ ଏହାର ସୁବିଧା ସୁଯୋଗ ସମ୍ପର୍କରେ ମୁଖ୍ୟ ଅତିଥି ଡା.ମେହେର ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ।ଏହି ମାଗଣା ସ୍ବାସ୍ଥ୍ୟ ଶିବିରରେ ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କର ଜନ୍ମଗତ ତ୍ରୁଟି, ଶାରୀରିକ ବୃଦ୍ଧି ତଥା ବିକାଶର ଅଭାବ, ବିଭିନ୍ନ ପ୍ରକାର ରୋଗ ତଥା ଶିଶୁର ବିଳମ୍ବିତ ବିକାଶର ସହଳ ଚିହ୍ନଟ କରାଯିବା ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଥିଲା।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ଼ି.ଇ.ଆଇ.ସି ରୁ ଅପଟୋ ମେଟ୍ରିଷ୍ଟ ଅନାମିକା ପ୍ରତିହାର ଦାସ, ଅଡିଓ ଲୋଜିଷ୍ଟ ସୁନିତୀ ସାହୁ,ଫିଜିଓଥେରାପିଷ୍ଟ ଆଦିତ୍ୟ ଭୋଇ, ସ୍ପେସିଆଲ ଏଜୁକେଟର ବସନ୍ତ ସାମଲ ,ଡ଼ି.ଇ.ଓ ଝରଣା ସାହୁ,ଦନ୍ତ ରୋଗ ବିଶେଷଜ୍ଞ ଡ଼ା. ନିର୍ମଳ ପୁରୋହିତ ଯୋଗଦାନ କରି ସୁଚାରୁରୂପେ ସେବା ଯୋଗାଇବା ଦେଖାଯାଇଥିଲା। ଅନୁଷ୍ଠିତ ଶିବିରରେ ସମୁଦାୟ ୬୪ ଜଣ ଶିଶୁ ମାନଙ୍କର ଚିକିତ୍ସା ତଥା ପରାମର୍ଶ ଓ ଆହୁରି ଉନ୍ନତ ମାନର ଚିକିତ୍ସା ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରେରଣ କରାଯାଇଛି। ଆର.ବି.ଏସ.କେ ଟିମ ତରଫରୁ ଡ଼ା. ଲିଙ୍ଗରାଜ ଦାଶ, ଡ଼ା.ପ୍ରଜ୍ଞା ପାରମିତା ପାତ୍ର, ଫାର୍ମାସିଷ୍ଟ ମହେଶ କୁମାର ପଧାନ, ଫାର୍ମାସିଷ୍ଟ ବିଜିତା ମିଶ୍ର ଶିଶୁ ମାନଙ୍କର ରୋଗ ଚିହ୍ନଟ ତଥା ପ୍ରେରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ସୁପରିଚାଳନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁରରେ କାର୍ଯ୍ୟରତ ସୁପର ଭାଇଜର ଶ୍ରୀମାନ କୁନା ମେହେର ସମସ୍ତ ପ୍ରକାରର ସହଯୋଗ କରିଥିଲେ।
--------×××--------
Tags
BARGARH NEWS