ଗୁଡେଶିରା ସମଲେଶ୍ବରୀଙ୍କ ଦର୍ଶନ କରିବା ସହିତ ଭବ୍ଯ ମନ୍ଦିର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ
ବରଗଡ଼, ବରଗଡ଼ ଉପକଣ୍ଠ ଗୁଡେଶିରା ଗ୍ରାମରେ ଥିବା ଐତିହାସିକ ଶକ୍ତିପୀଠ ସମଲେଶ୍ବରୀ ମନ୍ଦିରରେ ମହାସମାରୋହରେ ଚୈତ୍ର ନବରାତ୍ର ବାସନ୍ତିକ ପୂଜା ଅନୁଷ୍ଠିତ ହେଉଛି। ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ମାଆ ସମଲେଶ୍ବରୀଙ୍କ ପ୍ରତିକ ଭାବେ ଲିମ୍ବ ଡାଲକୁ ପାରମ୍ପରିକ ପୂଜାର୍ଚ୍ଚନା ପରେ ଗ୍ରାମ ପରିକ୍ରମା କରାଯାଇଥାଏ। ଏହି ଅବସରରେ ବରଗଡ଼ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ମାଆଙ୍କ ଦର୍ଶନ କରିବା ଉଦ୍ଦେଶ୍ୟରେ ଗୁଡେଶିରା ଗ୍ରାମକୁ ପହଞ୍ଚି ଥିଲେ। ଗ୍ରାମବାସୀମାନେ ମାନ୍ୟବର ବିଧାୟକ ଙ୍କୁ ପାରମ୍ପରିକ ବାଦ୍ୟ ଓ ହୁଳହୁଳି ସହିତ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ। ଶ୍ରୀଯୁକ୍ତ ଷଡ଼ଙ୍ଗୀ ସମଲେଶ୍ବରୀ କଲ୍ୟାଣ ମଣ୍ଡପର ଉନ୍ନତି କରଣ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିବା ବେଳେ ଆବଶ୍ୟକ ହେଲେ ଅନୁଦାନ ଦ୍ବିଗୁଣିତ କରାଯିବ ବୋଲି କହିଥିଲେ। ଏହା ସହିତ ସୟାଁ ଛକଠାରୁ ଗୁଡେଶିରା ସମଲେଶ୍ବରୀ ମନ୍ଦିରକୁ ସ୍ବତନ୍ତ୍ର ରାସ୍ତା ନିର୍ମାଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମନ୍ଦିର ପରିସରରୁ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନ ଚିହ୍ନଟ ହେଲେ ମନ୍ଦିରର କାୟା ବିସ୍ତାର କରାଯାଇ ଭବ୍ଯ ରୂପ ଦିଆଯିବ ଏଥିପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ମାନ୍ୟବର ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଗୁଡେଶିରାକୁ ବିଧାୟକ ଙ୍କ ଗସ୍ତ ପାଇଁ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଚଣ୍ଡୀପାଠକ ଅଧ୍ୟାପକ ଶ୍ରୀ ଚୂଡ଼ାମଣି ରଥ, ବ୍ରହ୍ମା ଶ୍ରୀ ପରମାନନ୍ଦ ଦାଶ, ମୁଖ୍ୟ କର୍ତ୍ତା ଶ୍ରୀ ଅଶୋକ କୁମାର ଦାଶ ଆବାହକ ଶ୍ରୀ କିଶୋର ଚନ୍ଦ୍ର ଦାଶ ଓ ଟ୍ରଷ୍ଟି ଶ୍ରୀ ଲଳିତ ଆଚାର୍ଯ୍ୟ, ପ୍ରକାଶ ଦେବତା, ପୁରନ୍ଦର ସାହୁ,ନରେଶ ଦାଶ,ପ୍ରତିକ ଦାଶ, ପ୍ରମୁଖ ଉପସ୍ଥିତ ରହି ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଅବସରରେ ସ୍ବତନ୍ତ୍ର ଅତିଥି ଭାବେ ସାମାଜିକ କର୍ମୀ ସୁବ୍ରତ କୁମାର ବିର୍ତ୍ତିଆ ଯୋଗଦେଇ ଗୁଡେଶିରା ଗ୍ରାମର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଧାୟକଙ୍କ ସହିତ ଆଲୋଚନା କରିଥିଲେ।
Tags
BARGARH NEWS