*ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ*
ବରଗଡ଼,ତାରିଖ-୨୫.୦୧.୨୦୨୫
ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବରଗଡ଼ଙ୍କ ଅଧ୍ୟକ୍ଷୟାରେ ଜିଲ୍ଲାସ୍ତରୀୟ ୧୫ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଛି । ସକାଳ ୭.୦୦ ଘ. ସମୟରେ ନିଶାମଣି ପଡ଼ିଆରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନହଲ ଠାରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲାର ବିଶିଷ୍ଟ ବ୍ୟଙ୍ଗକାବ୍ୟ ଶ୍ରୀ ନିତୀଶ ଆଚାର୍ଯ୍ୟ ଅତିଥି ରୂପେ ଯୋଗଦାନ କରିବା ସହିତ ବ୍ୟଙ୍ଗ କବିତା ମାଧ୍ୟମରେ ଉପସ୍ଥିତ ଛାତ୍ର-ଛାତ୍ରୀ ମାନଙ୍କୁ ଭୋଟର ତାଲିକାରେ ପଞ୍ଜୀକରଣ କରିବା ପାଇଁ ସଚେତନ କରିଥିଲେ ।
ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ତାଙ୍କର ଅଭିଭାଷଣ ମାଧ୍ୟମରେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ନିମନ୍ତେ ବିଭିନ୍ନ ମାର୍ଗଦର୍ଶୀକା ପ୍ରଦାନ କରିଥିଲେ । ଏହାପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଗଣତନ୍ତ୍ରରେ ଯୁବପୀଢିର ଭୂମିକା ଉପରେ ଗୁରୁତ୍ବାରୋପ କରି ସଚେତନ ଭୋଟର ହେବାପାଇଁ ଉପଦେଶ ଦେଇଥିବା ବେଳେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ନିଜ ଛାତ୍ର ଜୀବନର ଅନୁଭୂତି କହିଥିଲେ ଏବଂ ଆଜିର ଯୁବପିଢି କିପରି ସୁଦୃଢ ଗଣତନ୍ତ୍ର ଗଠନରେ ମହତ୍ୱପୂର୍ଣ ଭୂମିକା ଗ୍ରହଣ କରିବେ, ତାଙ୍କର ଦିଗ୍ଦର୍ଶନ ଦେଇଥିଲେ।
କର୍ଯ୍ୟକ୍ରମରେ ଯୁବପୀଢିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆୟୋଜିତ ହୋଇଥିବା ଜିଲ୍ଲାସ୍ତରୀୟ ବକ୍ତୃତା, ରଚନା ଲିଖନ, ଚିତ୍ରାଙ୍କନ ଏବଂ କୁଇଜ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ନିର୍ବାଚନ ମଣ୍ଡଳୀ ସ୍ତରରେ ଉତ୍କୃଷ୍ଟ କାମ ପ୍ରଦର୍ଶନ କରିଥିବା ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ଏବଂ ଏଚ.ଆର.ଏମ.ଏସ. ସଂଯୋଜକ ଶ୍ରୀ ଶ୍ରୀକାନ୍ତ ତ୍ରିପାଠୀଙ୍କୁ ଶ୍ରେଷ୍ଠ ଇଲେକଟୋରାଲ ମ୍ୟାନେଜମେନ୍ଟ କରିଥିବାରୁ ସମ୍ମାନିତ କରାଯାଇଥିଲା। ତତସହିତ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ଏବଂ ଜର୍ଜ ହାଇସ୍କୁଲକୁ ଶ୍ରେଷ୍ଠ ଇଲେକଟୋରାଲ ଲିଟେରେସୀ କ୍ଲବ ରୂପେ ସମ୍ମାନିତ କରାଯାଇଥିଲା। ବରଗଡ଼ ଡେପୁଟୀ ଜିଲ୍ଲାପାଳ, ନିର୍ବାଚନ ଶ୍ରୀ ମୁକ୍ତେଶ୍ଵର ପାଣିଗ୍ରାହୀ ଏବଂ ଶ୍ରୀମତୀ ମାଳବିକା ମିଶ୍ର, ଅଧ୍ୟାପିକା ଟ୍ରସ୍ଟ ଫନ୍ଡ ମହା ବିଦ୍ୟାଳୟ, ବରଗଡ଼ ମଞ୍ଚ ପରିଚାଳନା କରିବା ସହିତ ଜିଲ୍ଲା ନିର୍ବାଚନ ଉପବିଭାଗର ସମସ୍ତ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚଳନରେ ସହଯୋଗ କରିଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭାର ପରିସମାପ୍ତି ଘୋଷଣା କରିଥିଲେ ।
Tags
BARGARH NEWS