ରାସ୍ତାଗୁଡିକର ଶୀଘ୍ର ମରାମତି କରାଯାଉ ---
ଜିଲ୍ଲା ବରିଷ୍ଠ ନାଗରିକ ସଂଘ
~~~~~~~~~~~~~~~~~~
ବରଗଡ଼ ଆଜି ତା:୧୯.୦୭.୨୦୨୪ ଶନିବାର ଦିନ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ର ଏକ ଜରୁରୀ ବୈଠକ ସ୍ଥାନୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟରେ ସରକାର ପରିବର୍ତ୍ତନ ହେଲା ପରେ ଏବେ ତାହାର ପାର୍ଶ୍ଵ ପ୍ରତିକ୍ରିୟା ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। କେନ୍ଦ୍ର ଓ ରାଜ୍ୟରେ ଏକ ନିର୍ଦ୍ଦିଷ୍ଟ ଦଳ ଶାସନରେ ଥିବା ବେଳେ ପୌର ପରିଷଦରେ ଅନ୍ୟ ଏକ ଦଳ ଶାସନ କରୁଛି। ଫଳରେ ପ୍ରଶାସନିକ ସମନ୍ଵୟର ଘୋର ଅଭାବ ପରିଲକ୍ଷିତ ହେଉଛି; ଯାହାର ପରିଣାମ ଏବେ ସାଧାରଣ ଜନତାକୁ ଭୋଗିବାକୁ ପଡୁଛି। ବର୍ଷାଧିକ କାଳରୁ ଟେଣ୍ଡର ହୋଇଥିବା ରାସ୍ତା ଓ ନାଳର କାର୍ଯ୍ୟ ଏବେ ଠିକାଦାର ମାନେ ରାଜନୈତିକ କାରଣରୁ ଆଗକୁ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଆଉ ରାଜନୈତିକ ପଶାପାଲିରେ ବିଚରା ନାଗରିକକୁ ହୋଲ୍ଡିଂ ଟେକ୍ସ ନିୟମିତ ରୂପେ ପୈଠ କରି ମଧ୍ୟ ସମସ୍ତ ସୁବିଧାରୁ ବଞ୍ଚିତ ହେବାକୁ ପଡୁଛି।
ନିର୍ବାଚନ ପୂର୍ବରୁ ସହରର ମୁଖ୍ୟ ରାସ୍ତାଗୁଡ଼ିକ ପିଚୁ ହୋଇ ଯାଇଥିବା ବେଳେ ଗଳି ରାସ୍ତା ଗୁଡ଼ିକ ଭଙ୍ଗା ଦଦରା ହୋଇ ପଡ଼ି ରହିଛି। ଅନେକ ରାସ୍ତା ମରାମତି ଅଭାବରୁ ଖାଳଢିପ ହୋଇଥିବାରୁ ପ୍ରତ୍ୟହ ଛୋଟ ବଡ ଦୁର୍ଘଟଣା ଘଟୁଛି।
ବରିଷ୍ଠ ନାଗରିକ ସଂଘର ଏହି ବୈଠକରେ ସଦସ୍ୟମାନେ ଏଥିପାଇଁ କ୍ଷୋଭ ପ୍ରକାଶ କରିଥିଲେ। ବିଭିନ୍ନ ରାସ୍ତାରେ ପେଭର୍ସ ବ୍ଲକଗୁଡ଼ିକ ଅସମତଳ ହୋଇ ବ୍ୟବହାରଯୋଗ୍ୟ ହୋଇନାହିଁ, ପୂର୍ବରୁ ଷ୍ଟ୍ରିଟଲାଇଟ୍ ରେ ଏଲ୍ଇଡି ଵଲ୍ ଯେଉଁ ଲଗା ଯାଇଥିଲା, ତାହା ଏବେ ଆଲୋକ ନ ଦେଇ କେବଳ ମିଞ୍ଜିମିଞ୍ଜି ହୋଇ ଜଳୁଛି, ୱା.ନ. ୮ ର ପଟ୍ଟନାୟକ ଗଳି, ବ୍ରହ୍ମକୁମାରୀ ଆଶ୍ରମ ଗଳି ତଥା ଅନ୍ୟ ଅଞ୍ଚଳର ଅନେକ ଗଳିରେ ଖାଲଢିପ ରାସ୍ତାରେ ଲୋକଙ୍କୁ ଯିବାକୁ ପଡୁଛି, ରାସ୍ତାରେ ଗୋରୁଗାଈଙ୍କ ଅବାଧ ବିଚରଣ ଇତ୍ୟାଦି ସମସ୍ୟାରେ ପୌରାଞ୍ଚଳର ବାସିନ୍ଦା ଅତିଷ୍ଠ ହୋଇଗଲେଣି।
ସଂଘର ସଭାପତି ପ୍ରମୋଦ ଝାଙ୍କର ଓ ଅନ୍ୟ ସଦସ୍ୟ ମାନେ ଏହି ସମସ୍ତ ସମସ୍ୟା ପ୍ରତି ପୌର ପରିଷଦର ଦୃଷ୍ଟି ଆକର୍ଷଣ କରିବା ପାଇଁ ଖୁବ ଶୀଘ୍ର ପୌର କାର୍ଯ୍ୟାଳୟକୁ ଯାଇ ଆଲୋଚନା କରିବାକୁ ସ୍ଥିର କରିଛନ୍ତି।