ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠାରେ ମୁଖ୍ୟ କର୍ତ୍ତା ହେଲେ ଡାକ୍ତର ଦମ୍ପତି
ବରଗଡ଼,ବରଗଡ଼ ଜିଲ୍ଲା ପଦ୍ମପୁର ଉପକଣ୍ଠ ଡୁଙ୍ଗୁରିପାଲି ଗ୍ରାମରେ ମହାସମାରୋହରେ ରାଧାକୃଷ୍ଣ ମନ୍ଦିରର ନବକଳେବର ଉତ୍ସବ ଅନୁଷ୍ଠିତ ହେଉଛି। ସ୍ବର୍ଗତ ନବୀନ କିଶୋର ପାଣିଗ୍ରାହୀ ଓ ସ୍ବର୍ଗତ ଚିତ୍ରଲେଖା ପାଣିଗ୍ରାହୀ ଉକ୍ତ ମନ୍ଦିର କୁ ଶହେ ବର୍ଷ ପୁର୍ବେ ସ୍ଥାପନା କରିଥିବା ବେଳେ ଏବେ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା। ଏହାକୁ ଦୃଷ୍ଟିରେ ରଖି ତାଙ୍କ ଅଣନାତୀ ସମାଜସେବୀ ଡାକ୍ତର ସୌରଭ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ମନ୍ଦିର ନବକଳେବର ହୋଇଥିବା ଗ୍ରାମବାସୀ କହିଛନ୍ତି। ଡାକ୍ତର ସୌରଭ ପାଣିଗ୍ରାହୀଙ୍କ ସହିତ ତାଙ୍କ ଧର୍ମପତ୍ନୀ ଡାକ୍ତର ପ୍ରିୟଦର୍ଶିନୀ ନନ୍ଦ ମୁଖ୍ୟ କର୍ତ୍ତା ଭାବରେ ପ୍ରତିଷ୍ଠା ଉତ୍ସବରେ ଦାଇତ୍ଵ ନେଇଥିବା ବେଳେ ରାଧାମାଧବ ପାଣିଗ୍ରାହୀ ଶାନ୍ତି ଦାଶ,ରାଜକିଶୋର ପଧାନ ପ୍ରକାଶ ଗଡ଼ତିଆ ତଥା ସମସ୍ତ ଗ୍ରାମବାସୀ ସହଯୋଗ କରିଥିବା ବେଳେ ମୁଖ୍ୟ ପୂଜକ ଭାବେ ସୌକିଲାଲ ବେହେରା ପୂଜାବିଧି ଦାଇତ୍ଵ ନେଇଛନ୍ତି। ସେହିପରି ଉକ୍ତ ନବକଳେବର ଉତ୍ସବ ପରିପ୍ରେକ୍ଷୀରେ ଡୁଙ୍ଗୁରିପାଲି ଗ୍ରାମରେ ମୀନାବଜାର,ପାରାୟଣ କଂସ ଦରବାର ସହିତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଶହଶହ ଶ୍ରଦ୍ଧାଳୁ ଉକ୍ତ ଗ୍ରାମକୁ ଆସୁଥିବା ଯୋଗୁଁ ଏଠାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
Tags
BARGARH NEWS