ବରଗଡ଼ରେ ନିଆରା କାର୍ଯ୍ୟକ୍ରମ : ଦିବ୍ୟାଙ୍ଗ ମାନଙ୍କ ସହ ପାଳିତ ହେଲା ବିଶ୍ୱ ପଖାଳ ଦିବସ
(ବରଗଡ଼) – ଗଣଦୃଷ୍ଟି ମିଡ଼ିଆ ଓ ଓଡ଼ିଶା ଜନତା ସଂଘର୍ଷ ସମିତି ର ମିଳିତ ଆନୁକୂଲ୍ୟରେ ବରଗଡ଼ ବାପୂଜୀ ସ୍ୱତନ୍ତ୍ର ବିଦ୍ୟାଳୟ ରେ ବିଶ୍ୱ ପଖାଳ ଦିବସ ଅବସରରେ ‘ ପଖାଲ ଖୁରେ ଥି ଫି ସଖାଲ’ ଅନୁଷ୍ଠିତ ହୋଇଯାଇଛି । ଗଣଦୃଷ୍ଟି ମିଡ଼ିଆର ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ବିଶ୍ୱାଳଙ୍କ ସଂଯୋଜନା ଏବଂ ଓଡ଼ିଶା ଜନତା ସଂଘର୍ଷ ସମିତିର ସଭାପତି କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଳାପାଳ ମଧୁଛନ୍ଦା ସାହୁ, ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ନିର୍ଦ୍ଦେଶକ କଲ୍ୟାଣୀ ଦାସ, ବରଗଡ଼ ଉପ ଜିଲ୍ଳାପାଳ ପ୍ରସନ୍ନ ପାଣ୍ଡେ, ବରଗଡ଼ ଜିଲ୍ଳା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବରଗଡ଼ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ପୂର୍ବତନ ବିଧାୟକ ସାଧୁ ନେପାକ, ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ର , ଅତିରିକ୍ତ ଜିଲ୍ଳା କୃଷି ଅଧିକାରୀ ମମତା ତ୍ରିପାଠୀ, ସାହିତ୍ୟିକ ମନୋରଞ୍ଜନ ସାହୁ, ସମାଜସେବୀ କନକ ପ୍ରଧାନ, ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ସଭାପତି ଡ଼. ଦିଲୀପ କୁମାର ପଣ୍ଡା, କଣ୍ଠଶିଳ୍ପୀ ଶରତ ଚନ୍ଦ୍ର ପାଢୀ, ନରେନ୍ଦ୍ର ହୋତା, ଶିକ୍ଷାବିଦ ପତିତପାବନ ସାହୁ, ରାସେଶ୍ୱରୀ ସାହୁ, ଅହିଂସା କ୍ଳବର ସଂପାଦକ ତଥା ବିହନ ସଂରକ୍ଷକ ଶିବ ପ୍ରସାଦ ସାହୁ, ଅଧ୍ୟାପିକା ସ୍ୱାଗତିକା ଦାଶ, କବି ପ୍ରଫୁଲ୍ଲ କୁମାର ସାହୁ, କବି ଲକ୍ଷ୍ମଣ ସୁନା, କବି ହେମନ୍ତ ଦୀପ, ଜଶବିର ସିଂ, ପ୍ରିତମ ସିଂ, ଶରତ କୁମାର ସାହୁ, ଲୋକ ଗାୟକ ପଙ୍କଜ ଭୋଇ, ପୂର୍ବତନ ବାୟୁସେନା ଅଧିକାରୀ ସରୋଜ କୁମାର ମହାପାତ୍ର, ସୂରୁପ କୁମାର ଭୋଇ ପ୍ରମୁଖ ଯୋଗ ଦେଇ ପଖାଳ ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ କହିଥିଲେ । ପ୍ରାରମ୍ଭରେ କାମଦେବ ବେହେରା ଓ ଅମ୍ବରେଷ ବାରିକଙ୍କ ସଙ୍ଗତ ନିର୍ଦ୍ଦେଶନାରେ କବି ପ୍ରଫୁଲ୍ଲ ସାହୁଙ୍କ ରଚିତ ପଖାଳ ର ମହିମା କୁ ନେଇ ପ୍ରସ୍ତୁତ ସ୍ୱାଗତ ସଙ୍ଗୀତ ବିଦ୍ୟାଳୟର ଅନ୍ତେବାସୀ ମାନେ ଗାନ କରିଥିଲେ । ସମିତିର ସଂପାଦକ ଅଭୟ ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଉପସଭାପତି ମେଘନାଦ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗ୍ରାମୀଣ ଜୀବନ ଓ କୃଷି ସଂସ୍କୃତି ଅଧାରିତ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏଥିରେ କୃଷି କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ, ଗ୍ରାମାଂଚଳ ରେ ବ୍ୟବହାର ହେଉଥିବା ଅନେକ ଲୁପ୍ତପ୍ରାୟ ବିରଳ ସାମଗ୍ରୀ, ବିଭିନ୍ନ ପ୍ରକାର ଦେଶୀ ଚାଉଳ, ଦେଶୀ ଧାନ, ଦେଶୀ ମୁଗ ସ୍ଥାନ ପାଇଥିଲା । ପ୍ରଦର୍ଶନୀରେ ଭାଗ ନେଇଥିବା ବରଗାଁର ହୃଷିକେଶ ପଧାନ, ତରଣୀ ରଣା, ଖୁଣ୍ଟପାଲିର ପ୍ରଶାନ୍ତ ସାହୁ, ସରକଣ୍ଡାର ହର ବଣିଆ, ଅହିଂସା କ୍ଳବ ର ସଂପାଦକ ଶିବ ପ୍ରସାଦ ସାହୁ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଲାଲ ଜଗନ୍ନାଥ ଧାନର ଚାଉଳରୁ ପ୍ରସ୍ତୁତ ପଖାଳ, ଆଳୁ ଭର୍ତ୍ତା, ବାଇଗଣ ପୋଡ଼ା, ପାତଲଘଂଟା ପୁଡ଼ା, ବଡ଼ି ଚୁରା, ଶାଗ, ଲିମ ଫୁଲ ଭଜା, ଚନା ପିଆଜ ଭଜା, ଦହି , ଅମ୍ବ ଚଟଣୀ, ଆଦି ଖାଦ୍ୟ ତିଆରି ହୋଇଥିଲା । ସେହିପରି ମାଣ୍ଡିଆ ପଖାଳ, କୁଦୋ ପଖାଳ, ଗୁର୍ଜି ପଖାଳ ମୁଖ୍ୟ ଆକର୍ଷଣ ରହିଥିଲା । ବରଗଡ଼ ର ବହୁ ବୁଦ୍ଧିଜୀବୀ, କଳାକାର, ସାହିତ୍ୟିକ, କବି, ସାମାଜିକ କର୍ମୀ, ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଦିବ୍ୟାଙ୍ଗ ଅନ୍ତେବାସୀଙ୍କ ସହିତ ମିଶି ପଖାଳ ଦିବସର ମଜା ଉଠାଇଥିଲେ ।
Tags
BARGARH NEWS