'ଶିଶୁଶ୍ରୀ'ର ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ
ବରଗଡ଼: ପୁସ୍ତକ କାମଧେନୁ ସଦୃଶ ସମସ୍ତ ଇଛା ପୂରଣ ଦିଗରେ ସହାୟକ ହୋଇଥାଏ। ଯିଏ ପୁସ୍ତକ ସହ ବନ୍ଧୁତା ସ୍ଥାପନ କରେ ସିଏ ସବୁ ଲକ୍ଷ୍ୟ ହାସଲରେ ସଫଳତା ପାଇଥାଏ। ତେଣୁ ଛାତ୍ରଛାତ୍ରୀମାନେ ନିଜ ଜୀବନର ଲକ୍ଷ୍ୟକୁ ପୂରଣ କରିବା ପାଇଁ ପୁସ୍ତକ ପଢା ପ୍ରତି ଗୁରୁତ୍ଵ ଦେବା ଉଚିତ ବୋଲି ଶିଶୁଶ୍ରୀ'ର ୧୬୯ତମ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି। ବରଗଡ଼ ଜିଲ୍ଳା ଅନ୍ତର୍ଗତ ସରସରା ଗାଁ ସ୍ଥିତ ସତ୍ୟସାଇ ମନ୍ଦିର ପରିସର ମଧ୍ୟରେ ସଭାପତି ମନୋରଂଜନ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାବିତ ସନ୍ତୋଷ ପ୍ରଧାନ ପୁସ୍ତକକୁ କାମଧେନୁ ସହିତ ତୁଳନା କରି ପୁସ୍ତକ ସମସ୍ତ ଇଛା ପୂରଣ ଦିଗରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସରସରା ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳକୃଷ୍ଣ ମିଶ୍ର ଜୀବନର ଲକ୍ଷ୍ୟକୁ ପୂରଣ କରିବା ଲାଗି ପୁସ୍ତକ ସହ ସମ୍ପର୍କ ଗଢିବାକୁ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପ୍ରକୃତି ବନ୍ଧୁ ତଥା ସମାଜସେବୀ ସୁଶାନ୍ତ ପଣ୍ଡା ପୁସ୍ତକ ପଠନ ତଥା ବୃକ୍ଷ ରୋପଣ ପ୍ରତି ଧ୍ୟାନ ଦେବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉପଦେଶ ଛଳରେ କହିଥିଲେ। ପଠିତ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ସୌମ୍ୟାଶ୍ରୀ ପଣ୍ଡା, ଦେବୀ ପ୍ରସାଦ ପ୍ରଧାନ ଓ ଗୋପେଶ ପ୍ରଧାନ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। 'ଶିଶୁଶ୍ରୀ'ର ଆବାହକ ଡକ୍ଟର ରବିନାରାୟଣ ସାହୁ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରି ମହାପୁରୁଷଙ୍କ ଜୀବନୀ ପୁସ୍ତକ ଜୀବନର ଗତିପଥ ବଦଳାଇ ଦେବା କଥା ଉଦାହରଣ ଛଳରେ କହିଥିଲେ।